SLUG:
ଯେଉଁ ହାଟକୁ ଲୋକେ ନିଜ ପରିବାର ପାଇଁ ପନିପରିବା, ଲୁଗାପଟା ଓ ଘରକରଣା ସାମଗ୍ରୀ କିଣିବାକୁ ଆସୁଛନ୍ତି, ସେହି ହାଟ ଏବେ ଜୁଆ ଖେଳର ଆଡ଼ା ପାଲଟିଥିବା ଅଭିଯୋଗ ହୋଇଛି। ଜୁଆ ଖେଳରେ ସପ୍ତାହକର ପରିଶ୍ରମର ରୋଜଗାର ହରାଉଛନ୍ତି ଅନେକ ଲୋକ। ଫଳରେ ପରିବାରରେ ଦେଖାଦେଉଛି ଅଶାନ୍ତି। ଏଭଳି ଏକ ଗମ୍ଭୀର ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବିରାଶାଳ ସାପ୍ତାହିକ ହାଟରୁ। ଏହି ଅଭିଯୋଗ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ପ୍ରଶ୍ନ ଉଠିଛି।
ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ଥାନା ଅଞ୍ଚଳର ବିରାଶାଳ ସାପ୍ତାହିକ ହାଟରେ ଖୁଲମଖୁଲା ଜୁଆ ଖେଳ ଚାଲୁଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରତି ବୁଧବାର ସମେତ ସପ୍ତାହର ଅନ୍ୟ ଦିନଗୁଡ଼ିକରେ ମଧ୍ୟ ଏଠାରେ ଜୁଆ ଖେଳ ଚାଲୁଛି।
ବିରାଶାଳ ସମେତ ବନ୍ଦାଣିଆ ଓ ଓଡ଼ିଶ ଅଞ୍ଚଳର ବହୁ ଲୋକ, ବିଶେଷକରି ଆଦିବାସୀ ପରିବାରର ସଦସ୍ୟମାନେ ଏହି ହାଟକୁ ଆସୁଥିବା କୁହାଯାଉଛି। ଦିନତମାମ କାମଧନ୍ଦା କରି ଯାହା ରୋଜଗାର କରୁଛନ୍ତି, ସେହି ଟଙ୍କାରେ ପରିବାର ପାଇଁ ଆବଶ୍ୟକ ସାମଗ୍ରୀ କିଣିବା ପରିବର୍ତ୍ତେ ଜୁଆ ଖେଳରେ ଟଙ୍କା ହରାଉଥିବା ଅଭିଯୋଗ ଆସିଛି।
ଏହାର ପ୍ରଭାବରେ ଅନେକ ପରିବାର ଆର୍ଥିକ ସଙ୍କଟରେ ପଡ଼ିବା ସହ ଘରେ ଘରେ ପାରିବାରିକ ଅଶାନ୍ତି ସୃଷ୍ଟି ହେଉଥିବା କୁହାଯାଉଛି।
ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଥାନାଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଏଭଳି ଜୁଆ ଖେଳ ଚାଲୁଥିବା ଅଭିଯୋଗ ସତ୍ତ୍ୱେ ଏହାକୁ ରୋକିବା ପାଇଁ ପୋଲିସ କାହିଁକି ଦୃଢ଼ ପଦକ୍ଷେପ ନେଉନାହିଁ, ତାହାକୁ ନେଇ ସ୍ଥାନୀୟ ମହଲରେ ପ୍ରଶ୍ନ ଉଠୁଛି।
ଏହାସହ ଜୁଆଡ଼ିମାନେ ପୋଲିସକୁ ମୋଟା ଅଙ୍କର ବଟି ଦେଉଥିବା ନେଇ ମଧ୍ୟ ଅଭିଯୋଗ ଆସିଛି। ତେବେ ଏହି ଅଭିଯୋଗର ସ୍ୱତନ୍ତ୍ର ଯାଞ୍ଚ ହେବା ଆବଶ୍ୟକ। ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ପକ୍ଷ ମଧ୍ୟ ସାମ୍ନାକୁ ଆସିବା ଜରୁରୀ।
ଏବେ ଅଞ୍ଚଳର ସଚେତନ ନାଗରିକମାନେ ଜୁଆ ଖେଳ ଉପରେ ରୋକ୍ ଲଗାଇବା ସହ ଏହି ଅଭିଯୋଗର ନିରପେକ୍ଷ ତଦନ୍ତ କରିବାକୁ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।
ବିରାଶାଳ ହାଟରେ ଜୁଆ ଖେଳ ଅଭିଯୋଗ ଉପରେ ପୋଲିସ ପ୍ରଶାସନ କେବେ ତତ୍ପର ହେଉଛି ଏବଂ ନିରୀହ ପରିବାରଗୁଡ଼ିକୁ ଏହି ସମସ୍ୟାରୁ କେବେ ମୁକ୍ତି ମିଳୁଛି, ତାହା ଏବେ ଦେଖିବାକୁ ବାକି.
