ଆଜିଠୁ ଯୁକ୍ତ୨ ପରୀକ୍ଷା: ୧୨୬୭ପରୀକ୍ଷା କେନ୍ଦ୍ରରେ ୧.୯୩ ଲକ୍ଷ ପରୀକ୍ଷାର୍ଥୀ…

ଜିଲ୍ଲା ଢେଙ୍କାନାଳ ଖବର
Spread the love

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ଥିଓରି ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କ ମାତୃଭାଷା(ଓଡ଼ିଆ) ବିଷୟର ପରୀକ୍ଷା ଥିବା ବେଳେ ବୁଧବାରଠାରୁ କଳା ଓ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମାତୃଭାଷା(ଓଡ଼ିଆ) ବିଷୟରୁ ଆରମ୍ଭ ହେବ। ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ପରୀକ୍ଷା ହଲ୍‌କୁ ମୋବାଇଲ୍‌ ଓ ବୈଦ୍ୟୁତିକ ସାମଗ୍ରୀ ନେବା ଉପରେ କଟକଣା ଜାରି ହୋଇଛି। ପ୍ରଶ୍ନପତ୍ର ଭାଇରାଲ୍‌ କିମ୍ବା ପରୀକ୍ଷା ଚାଲିଥିବା ସମୟରେ ଯଦି ଲିକ୍‌ ହୁଏ ତେବେ ସଙ୍ଗେ ସଙ୍ଗେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜେଲ୍‌ ସହ ଜରିମାନା ମଧ୍ୟ ହୋଇପାରେ। ଚଳିତ ବର୍ଷ ଯୁକ୍ତ୨ରେ ୩ ଲକ୍ଷ ୯୩ହଜାର ୬୧୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କଳାରେ ସର୍ବା‌ଧିକ ୨ଲକ୍ଷ ୪୭ ହଜାର ୩୯୧, ବିଜ୍ଞାନରେ ୧ଲକ୍ଷ ୧୪ ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬, ଧନ୍ଦାମୂଳକରେ ୫ ହଜାର ୭୨୧ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ୧୨୬୭ଟି କେନ୍ଦ୍ର ହୋଇଛି। ପରୀକ୍ଷାର ସୁପରିଚାଳନା ପାଇଁ ୨୦୫ଟି ହବ୍‌ କରାଯାଇଛି।କଡ଼ା ସୁରକ୍ଷା ମଧ୍ୟରେ ୨୦୫ଟି ହବ୍‌ରେ ପ୍ରଶ୍ନପତ୍ର ରହିଛିକପି ରୋକିବାକୁ ୫ ସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥାଇତିମଧ୍ୟରେ ରାଜ୍ୟର ସମସ୍ତ ହବ୍‌ରେ ପ୍ରଶ୍ନପତ୍ର ପହଞ୍ଚିସାରିଛି। ସୁପରଭାଇଜରଙ୍କ ବ୍ୟତୀତ ହବ୍‌ରେ ଡେପୁଟି ସୁପରଭାଇଜର, ହବ୍‌ ସହାୟକ, ଜଣେ ଲେଖାଏ ଅଧିକାରୀ ଓ ନାଇଟ୍‌ ୱାଚ୍‌ମ୍ୟାନ୍‌ ହବ୍‌ ପରିଚାଳନା ଦାୟିତ୍ବରେ ରହିଛନ୍ତି। ହବ୍‌ର ଷ୍ଟ୍ରଙ୍ଗ୍‌ ରୁମ୍‌ରେ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଲିସ ପହରା ବ୍ୟବସ୍ଥା ହୋଇଛି। ସକାଳ ୮ଟା ୩୦ ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ର‌ରେ ପ୍ରଶ୍ନପତ୍ର ପହଞ୍ଚିବ। ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ୯ଟା ୩୦ ସୁଦ୍ଧା ଛାତ୍ରଛାତ୍ରୀ କେନ୍ଦ୍ରରେ ପ୍ରବେଶ କରିବେ। ୯ଟା ୫୦ରେ ପରୀକ୍ଷାର୍ଥୀଙ୍କୁ ଉତ୍ତର ଖାତା ଏବଂ ୯ଟା ୫୫ରେ ପ୍ରଶ୍ନପତ୍ର ଦିଆଯିବ। ଉତ୍ତର ଖାତାକୁ ଭଲ ଭାବେ ଯାଞ୍ଚ କରିବା ପରେ ପରୀକ୍ଷାର୍ଥୀ ସକାଳ ୧୦ଟାରୁ ଉତ୍ତର ଖାତାରେ ଲେଖିବା ଆରମ୍ଭ କରିବେ। ଅପରାହ୍ଣ ୧ଟା ପର୍ଯ୍ୟନ୍ତ ହେବାକୁ ଥିବା ପରୀକ୍ଷାରେ ସ୍ବଚ୍ଛତା ରଖିବାକୁ ପାଞ୍ଚ ସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା ହୋଇଛି। ପ୍ରଥମ ଥର ପାଇଁ ଏଥର ଜିଲ୍ଲାସ୍ତରୀୟ ସ୍କ୍ବାଡ୍‌ ଗଠନ ହୋଇଛି। ୩୫ଟି ଜିଲ୍ଲା ସ୍ତରୀୟ ସ୍କ୍ବାଡ୍‌ ଜିଲ୍ଲାରେ ରହିବା ସହ ନିୟମିତ ବ୍ୟବଧାନରେ ସେଣ୍ଟରଗୁଡ଼ିକୁ ଗସ୍ତ କରିବେ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି।

ଢେଙ୍କାନାଳ ନ୍ଯୁଜ…….. #chscexam #bhubaneswar #odisha

Leave a Reply

Your email address will not be published. Required fields are marked *