ଢେ଼ଙ୍କାନାଳ ସଦର : ହିନ୍ଦୋଳ ଉପଖଣ୍ଡ ରାସୋଳ ଅଞ୍ଚଳ କୁନୁଆଁ ଗ୍ରାମରେ କେଉଁ ଆବହମାନ କାଳରେ ଘଞ୍ଚ ଜଙ୍ଗଲରେ ଥିବା ଆମ୍ବତୋଟାରେ ଚାଳଘରେ ପୂଜା ପାଉଥିଲେ ମା’ସୁକିଆ ବାଉତୀ ବ୍ରିଟିଶ ଅମଳରେ ଓଡ଼ିଶା ଛତିଶଗଡ଼ ଆନ୍ଧ୍ରର ରାଜା,ମହାରାଜ ଘୋଡ଼ା ଓ ହାତୀ ପିଠିରେ ଯିବା ଆସିବା କରିବା ସମୟରେ ମା’ଙ୍କ ମନ୍ଦିର ବିଷୟରେ ଜାଣିବାକୁ ପାଇଥିଲେ। ସ୍ଥାନୀୟ ଅଧିବାସୀ ମା’ଙ୍କର ପାରମ୍ପରିକ ରୀତିନୀତିରେ ପୂଜାପାଠ କରୁଥିଲେ। ସେତେବେଳେ ମା’ଙ୍କ ପାଖରେ ବଳି ପ୍ରଥା ପ୍ରଚଳନ ହୋଇ ଆସୁଥିଲା। ଗଡ଼ ବିଜୟ କରି ଯିବା ଓ ଫେରିବା ସମୟରେ ଏଠାରେ ଦର୍ଶନ କରି ବଳି ଭେଟି ଦେଉଥିଲେ ରାଜା ମହାରାଜା। ଲୋକକଥା ଅନୁଯାୟୀ,ମା’ଙ୍କୁ ଦର୍ଶନ ନକରି କିମ୍ବା ଭେଟି ନଦେଇ ଗଲେ ଯୁଦ୍ଧରେ ବିଜୟ ହେବା ଅସମ୍ଭବ । ଏ ହେଉଛି ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ନିକଟ କୁନୁଆଁ ଗ୍ରାମର ପୁରୁଣା କଟକ ସମ୍ବଲପୁର ରାସ୍ତା ପାର୍ଶ୍ଵରେ ପରମ ବୈଷ୍ଣବୀ ରୂପରେ ପୂଜା ପାଇ ଆସୁଛନ୍ତି ଭଗବତୀ ମା’ ସୁକିଆ ବାଉତୀ। ରାଜ ରାଜୁଡ଼ା ଅମଳରୁ ହିନ୍ଦୋଳ ମଉଡ଼ମଣି ମା’ସୁକିଆ ବାଉତୀଙ୍କ ମହିମା ସର୍ବଜନ ବିଦିତ । ରାସୋଳଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ମା’ସୁକିଆବାଉତୀଙ୍କ ମନ୍ଦିର ଅବସ୍ଥିତ । ସ୍ଥାନଟି କୁନୁଆଁ ପଞ୍ଚାୟତ ଅଧୀନରେ ଥିବାରୁ ଗ୍ରାମପରିଚାଳନା କମିଟିର ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ମନ୍ଦିର ପରିଚାଳନା କମିଟି ସମସ୍ତ କାର୍ଯ୍ୟ ତଦାରଖ କରୁଛି। ଗ୍ରାମବାସୀ ତଥା ଶ୍ରଦ୍ଧାଳୁଙ୍କ ସହଯୋଗରେ ମା’ଙ୍କ ସ୍ଥାୟୀମନ୍ଦିର କରାଯାଇଥିଲା। ସବୁଦିନ ଦିନ ସକାଳୁ ମା’ଙ୍କ ଦ୍ବାର ଖୋଲାଯାଇ ମଙ୍ଗଳ ଆଳତୀ ଓ ଅବକାଶ ନୀତି ହୋଇ ବାଳଭୋଗ କରାଯାଏ। ମଧ୍ୟାହ୍ନରେ ଅନ୍ନପ୍ରସାଦ ଓ ସନ୍ଧ୍ୟା ଆଳତୀ ପରେ ପଣା ଲାଗିହୋଇ ପହୁଡ଼ ନୀତି ଅନୁଷ୍ଠିତ ହୋଇଥାଏ ପରମ୍ପରା ଅନୁଯାୟୀ ଦେହୁରୀ ସେବକ ମା’ଙ୍କ ଆଦ୍ୟ ସେବକ ହୋଇ ନିତ୍ୟ ପୂଜା କରୁଥିବା ବେଳେ ମନ୍ଦିର ପୁରୋହିତ ସ୍ବତନ୍ତ୍ର ଦିନରେ ପୂଜା କରିଥାନ୍ତି। ଭାଦ୍ରବ ମାସ ଅଘୋର ଚତୁର୍ଦ୍ଦଶୀରେ ମା’ଙ୍କ ବଡ଼ ପୂଜା ଅନୁଷ୍ଠିତ ହେବା ସହ ଅଶୋକାଷ୍ଟମୀରେ ମା’ଙ୍କ ଚଳନ୍ତି ବିଗ୍ରହ ଏକ ସୁସଜ୍ଜିତ ବିମାନରେ ଘଣ୍ଟ,ଘଣ୍ଟା,ଢୋଲ,କୀର୍ତ୍ତନ ଗହଣରେ କୁନୁଆଁ ଗ୍ରାମସ୍ଥିତପୂଜା ମଣ୍ଡପକୁ ଯାଇଥାନ୍ତି। ଶାରଦୀୟ ନବରାତ୍ର ପୂଜା ମାଙ୍କର ଧୁମ୍ଧାମରେ ପାଳିତ ହେଉଥିବା ବେଳେ ନବଦିନ ବ୍ୟାପୀ ମା’ଙ୍କୁ ନବଚଣ୍ଡିକା ରୂପରେ ବେଶ କରାଯାଇଥାଏ। ମା’ସୁକିଆ ବାଉତୀଙ୍କୁ ଦର୍ଶନ କଲେ ଶ୍ରଦ୍ଧାର ସହ ମା’ଙ୍କୁ ଡାକିଲେ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ପୀଠକୁ ନିତିଦିନ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । ପୂଜକ ପୂଜାରେ ମା’ଙ୍କୁ ମହାକାଳୀ ରୂପରେ,ମାର୍ଗଶିର ମାସ ଶେଷ ଗୁରୁବାର ଦିନ ମା’ସୁକିଆ ବାଉତୀଙ୍କର ରାଜରାଜେଶ୍ଵରୀ ବେଶରେ ମାଙ୍କ ପାଖରେ ଛପନ ଭୋଗ ଲାଗି ହେବା ସହ ସରସ୍ବତୀ ପୂଜାରେ ମା’ଙ୍କୁ ମହାସରସ୍ବତୀ ବେଶରେ ପୂଜା କରାଯାଇ ଥାଏ। ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ କିଛି ବର୍ଷ ପୂର୍ବରୁ ମନ୍ଦିରରେ କଲ୍ୟାଣମଣ୍ଡପ,ପାର୍କ,ଭୋଜନାଳୟ,ସବୁଦିନ ଭକ୍ତଙ୍କ ସକାଶେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଉଛି। ଅଞ୍ଚଳର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ବେଶ୍ ପରିଚିତ ଏଇ ମା’ସୁକିଆ ବାଉତୀଙ୍କ ପୀଠ। ମା’ସୁକିଆ ବାଉତୀଙ୍କ ପୀଠରେ ଲାଗେ ପର୍ଯ୍ୟଟକଙ୍କ ଭିଡ଼ । ମା’ଙ୍କୁ ଭେଟି ନଦେଲେ ବିଜୟ ଅସମ୍ଭବ । ମା’ସୁକିଆ ବାଉତୀ ଠାକୁରାଣୀ କାହିଁ କେଉଁ ଆବହମାନ କାଳରୁ ଶାନ୍ତ,ସୁନ୍ଦର ପରିବେଶ ମଧ୍ୟରେ ପୂଜାପାଇ ଆସୁଛନ୍ତି। ସ୍ବତନ୍ତ୍ର ବ୍ୟଞ୍ଜନ ମା’ଙ୍କର ବାରମାସରେ ତେର ପର୍ବଠାରୁ ଲାଗି ହୁଏ ମା’ଙ୍କ ପୀଠରେ। ଗାଁର ଆସ୍ଥା ଓ ବିଶ୍ବାସର ହେଉଛନ୍ତି ମା’ସୁକିଆ ବାଉତୀ। ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ମା’ଙ୍କୁ ପ୍ରଥମେ ମାଜଣା କରାଯାଏ। ଦୁର୍ବିପାକରେ ମା’ଙ୍କ ଶରଣ ପଶନ୍ତି ରୋଗବୈରାଗ୍ୟଠାରୁ ଗ୍ରାମବାସୀ ଓ ସହରୀ ସଭ୍ୟତାରେ ହଜି ଯାଉଥିବା ଗାଁର ଜୀବନଶୈଳୀରେ ଆଜି ବି ଘରୁ ବାହାରିଲେ ପ୍ରଥମେ ମା’ଙ୍କୁ ହିଁ ଲୋକେ ମୁଣ୍ଡିଆ ମାରି ଅନୁକୂଳରେ ପାଦ କାଢ଼ନ୍ତି..
ଢେଙ୍କାନାଳ ସଦର ରୁ ମହେଶ୍ୱର ସାହୁ ଙ୍କ ରିପୋର୍ଟ ଢେଙ୍କାନାଳ ନ୍ୟ଼ୁଜ୍ ଓଡିଶା…
